ଜାଗ୍ରତ ହୋଇଛନ୍ତି ନବଙ୍କ ପରିବାର । ବିଜେଡିର ବଳ ଭାଙ୍ଗିବା ପରେ ଦଳ ଉପରେ ତାତିଲେଣି ବିଶାଲ ଦୀପାଳି । ମାଆଙ୍କ ସହ ମିଶି କେଉଁ ଯୋଜନା କରିଛନ୍ତି ନବଙ୍କ ପରିବାର । ଏବେ ରାଜ୍ୟରେ ଏହି ଖବର ଚର୍ଚ୍ଚା ବଢାଇଛି । କାରଣ ୨ ବର୍ଷ ପରେ ପୁଣିଥରେ ବହୁଚର୍ଚ୍ଚିତ ନବ ଦାସ ହତ୍ୟାର ଫାଇଲ ଖୋଲିଛି । ପୁଣିଥରେ ହତ୍ୟାର ସାନି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ନବ ଦାସଙ୍କ ଝାରସୁଗୁଡା ସ୍ଥିତ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନବ ଦାସଙ୍କ ପତ୍ନୀ ମିନତି ଦାସ, ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କ ବୟାନ ରେକର୍ଡ କରିଛନ୍ତି । ପ୍ରାୟ ୭ ଘଣ୍ଟା ଧରି ନବଦାସଙ୍କ ଘରେ ରହିଥିଲା କ୍ରାଇମବ୍ରାଞ୍ଚ ଟିମ୍। ପୂର୍ବରୁ ଏ ନେଇ ସେମାନଙ୍କୁ ନୋଟିସ ହୋଇଥିଲା । ତେବେ ବିଶାଳ କହିଛନ୍ତି, ଏବେ ବି ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି । ନବ ଦାସଙ୍କ ହତ୍ୟା ମାମଲାର ସାନି ତଦନ୍ତ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍ତି । ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି, ହତ୍ୟା ନେଇ ଯେଉଁଭଳି ତଦନ୍ତ ହେବା କଥା ହୋଇନାହିଁ । ନବ ଦାସଙ୍କ ପରିବାର ତଦନ୍ତରେ ସନ୍ତୁଷ୍ଟ ନଥିଲେ। ସରକାରଙ୍କୁ ଲେଖିକି ଦେବା ପରେ ପୁଣି ତଦନ୍ତ ଆରମ୍ଭ ହୋଇଛି । ନବ ଦାସଙ୍କୁ କିଏ ଓ କାହିଁକି ହତ୍ୟା କଲା? ତାର ରହସ୍ୟ ଲୋକେ ଜାଣିବା ଉଚିତ । ଅନ୍ୟପଟେ ବିଜେଡି ସରକାରଙ୍କ ସାନି ତଦନ୍ତକୁ ସ୍ୱାଗତ କରିଛି । ଆଉ କଂଗ୍ରେସ କହିଛି ସତ ସାମ୍ନାକୁ ଆସୁ । ତେବେ ଦୁଇବର୍ଷର ତଦନ୍ତରେ କ୍ରାଇମବ୍ରାଞ୍ଚର ଭୂମିକା ଉପରେ ଅନେକ ପ୍ରଶ୍ନ ଉଠିଛି । l ତଥ୍ୟ ପ୍ରମାଣକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ନବଙ୍କ ରକ୍ତଭିଜା ସାର୍ଟ କୁଆଡେ ଗଲା ତାକୁ ନେଇ ବିବାଦ ହୋଇଛି । କ୍ରାଇମବ୍ରାଞ୍ଚ ରିପୋର୍ଟ ଓ ଏସଏଫଏସଲ ରିପୋର୍ଟର ତାଳମେଳ ନ ରହିବା ସନ୍ଦେହ ସୃଷ୍ଟି କରିଛି। ମୁଖ୍ୟସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଥିବା ଅଭିଯୋଗ ହୋଇଛି । ଏବେ ପ୍ରଶ୍ନ ଉଠୁଛି, ଆଗକୁ କାହାକୁ ସନ୍ଦେହ ଘେରକୁ ନେବ କ୍ରାଇମବ୍ରାଞ୍ଚ ? କ୍ରାଇମବ୍ରାଞ୍ଚର ସନ୍ଦେହ ଜାଲରେ କିଏ ଫସିବ ଆଉ କିଏ ବର୍ତ୍ତିବ ତାହା ଦେଖିବାକୁ ବାକି ରହିଲା ।
କଡ ଲେଉଟାଇଲା ନବ ଦାସ ହତ୍ୟା ମାମଲା
୨ ବର୍ଷ ପରେ ପୁଣିଥରେ ବହୁଚର୍ଚ୍ଚିତ ନବ ଦାସ ହତ୍ୟାର ଫାଇଲ ଖୋଲିଛି ।
RELATED ARTICLES