ରାଜ୍ୟରେ ଏବେବି ଥମୁନି ଆଳୁ ସମସ୍ୟା । ଆଳୁ ଦର ନେଇ ଚିନ୍ତାରେ ଖାଉଟି । ତେବେ ରାଜ୍ୟରେ ଆଳୁ ଦର ବଢୁଥିବା ବେଳେ ଏଥି ପାଇଁ ଦିଦିଙ୍କୁ ଦାୟୀ କରିଛନ୍ତି ମୋହନ ସରକାର । ରାଜ୍ୟରେ ଆଳୁ ଦର କମିବାର ନାଁ ନେଉନି। ସବୁଠୁ ଦରକାରୀ ପରିବାର ଦର ଆକାଶଛୁଆଁ। ଖୁଚୁରା ବଜାରରେ କିଲୋ ପିଛା ୪୦ ଟଙ୍କାରୁ ୪୫ ଟଙ୍କାରେ ବିକ୍ରି ହେଉଛି ଆଳୁ। ଏବେ ବି ପଶ୍ଚିମବଙ୍ଗରୁ ଆଳୁ ଆସୁନି। ଉତ୍ତରପ୍ରଦେଶରୁ ଆସୁଥିବା ଆଳୁରେ ଅଧିକ ଖରାପ ଆଳୁ ଥିବା କହୁଛନ୍ତି ଦୋକାନୀ। ତେବେ ଏସବୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରାଯାଉଛି । ସେପଟେ ଆଳୁ ସହ ବଜାରର ଦରଦାମ୍ ଆକାଶଛୁଆଁ ହୋଇଛି । ଓଡ଼ିଶାକୁ ଏକ ପ୍ରକାର ବ୍ଲାକମେଲ୍ କରୁଥିଲା ଆମ ପଡ଼ୋଶୀ ରାଜ୍ୟ । ପଶ୍ଚିମବଙ୍ଗ ଆଳୁ ଟ୍ରକ୍ କୁ ରାଜ୍ୟର ସୀମାରେ ଅଟକାଇ ଦେଉଥିଲା । ତେଣୁ ଆମେ ନିଷ୍ପତ୍ତି ନେଇଛୁ, ମମତା ଦିଦିଙ୍କୁ ଆଉ ବ୍ଲାକମେଲ୍ କରିବାକୁ ସୁଯୋଗ ଦେବୁନି ଏଭଳି କହି ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଦୂର ହେବ ଆଳୁ ଅଭାବୀ । ଏବେ କୃଷକ ମାନଙ୍କୁ କେବଳ ଧାନ ଉପରେ ନିର୍ଭର ନକରି ନୂଆ ଟେକନିକ୍ ପ୍ରୟୋଗରେ ଅନ୍ୟାନ୍ୟ ଫସଲ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ରାଜ୍ୟରେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦେଇଛୁ । ଏହା ସହ ରାଜ୍ୟରେ ଖୁବ ଶୀଘ୍ର ୫୮ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଳୁ ଚାଷ ଉପରେ ଆଲୋକପାତ କରି କହିଥିଲେ ଯେ, ରାଜ୍ୟରେ ଆଳୁ ଚାଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଚଳିତ ବର୍ଷ ୨.୪ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।