ଶଙ୍ଖ ଭବନରେ ଉତ୍କଳ ଦିବସ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ । ଓଡ଼ିଶା ଦିବସ ଅବସରରେ ଶଙ୍ଖ ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ନବୀନ କହିଛନ୍ତି- ଆଜି ଓଡ଼ିଶା ଦିବସ । ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିବସ। ଓଡ଼ିଶା ଆଜି ଏକ ମଜଭୁତ ଭିତ୍ତିଭୂମି ଉପରେ ଆଗକୁ ବଢିଛି। ଓଡ଼ିଶାର ବିକାଶକୁ କେହି ରୋକିପାରିବେ ନାହିଁ। କିଛି ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବା। ସମସ୍ତଙ୍କ ସହଯୋଗ ରହିଲେ ଏହି ଲକ୍ଷ୍ୟ ନିଶ୍ଚୟ ପୂର୍ଣ୍ଣ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ପବିତ୍ର ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କବି ଗଙ୍ଗାଧର ମେହର, ଔପନ୍ୟାସିକ ଫକୀର ମୋହନ ସେନାପତିଙ୍କ ପରି ମହାନ ପୁରୁଷମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଡକ୍ଟର ଦିନେଶ ଷଡଙ୍ଗୀ, କବୟିତ୍ରୀ ଡକ୍ଟର ମିନି ଷଡଙ୍ଗୀ ଏବଂ ଏଭେରେଷ୍ଟ ବିଜୟିନୀ ମମତା ରାଉତଙ୍କୁ ସେମାନଙ୍କ ଅବଦାନ ପାଇଁ ନବୀନ ପଟନାୟକ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।