କଂଗ୍ରେସ କାର୍ଯ୍ୟାଳୟ ଫେରିଲେ ସୁରେଶ ରାଉତରାୟ । ଦୀର୍ଘ ୯ ମାସ ପରେ କଂଗ୍ରେସ ଫେରି ଭାବବିହ୍ବଳ ହେଲେ ଏହି ବରିଷ୍ଠ ନେତା । ଏହି ଅବସରରେ ସୁରଙ୍କ ଆଖିରେ ଲୁହ ଭରିଯାଇଥିବାବେଳେ କହିଛନ୍ତି, ସେ ୯ ମାସ ହେଲା, ଭଲରେ ଶୋଇ ନାହାନ୍ତି । ହେଲେ ଏବେ ଦଳକୁ ଫେରିବା ପରେ ଭଳ ଅନୁଭବ କରୁଛନ୍ତି । କଂଗ୍ରେସ କାର୍ଯ୍ୟାଳୟକୁ ତାଙ୍କୁ ପାଛୋଟି ନେଇଥିଲେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ପିସିସି ସଭାପତି ଭକ୍ତଙ୍କ ସହିତ କଥା ହେବା ପରେ ଖୁସି ଥିବା ସୁର କହିଛନ୍ତି । ଏପରିକି ଆଗକୁ କଂଗ୍ରେସ ଭଲ କରିବ ବୋଲି ଆଶାବାଦୀ । କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିବାବେଳେ ସୁରେଶ ରାଉତରାୟ ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିଲେ । ସେ କହିଛନ୍ତି, ୯ ମାସ ହେଲା ଯନ୍ତ୍ରଣାରେ ଥିଲି, ଆଜି ଆଖିକୁ ଭଲ ନିଦ ଆସିବ। କଂଗ୍ରେସ ଟିକେଟରୁ ଲଢ଼ି ଜଟଣୀ ଆସନରୁ ୬ ଥର ବିଧାନସଭା ଯାଇଥିବା ଦଳର ଏହି ବରିଷ୍ଠ ନେତା ଗତବର୍ଷ ରୋଚକ ଢଙ୍ଗରେ ଦଳରୁ ବହିଷ୍କୃତ ହୋଇଥିଲେ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ନିର୍ବାଚନ ଲଢିବା ପରେ ତାଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିଥିଲେ ସୁରେଶ ରାଉତରାୟ । ଯାହାକୁ ନେଇ ଦଳ ନେଇଥିଲା ଆକ୍ସନ । ଆଉ ତାଙ୍କୁ 6 ବର୍ଷ ପାଇଁ ବହିଷ୍କାର କରିଥିଲା ଦଳ । ତେବେ ପିସିସି ସଭାପତି ହେବା ପରେ ନିଲମ୍ବିତ ଓ ବହିଷ୍କୃତ ନେତାଙ୍କ ପାଇଁ ପୁଣି ଥରେ ଦଳର ଦ୍ବାର ଖୋଲି ଦେଇଛନ୍ତି ଭକ୍ତ ଦାସ ।