କିଛି ଦିନ ହେଲା ପୂରା ଦେଶରେ ଶୀତର ପ୍ରଭାବ ଅନୁଭୂତ ହୋଇଛି । ସଂଜ ନଇଁଲେ ଶୀତ ମାଡ଼ି ଆସୁଛି । ରାଜ୍ୟରେ ଶୀତଲହରୀ ଆହୁରି କିଛି ଦିନ ଯାଏଁ ଜାରି ରହିବ। କିନ୍ତୁ ଦୁଇ ଦିନ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ଆସନ୍ତା ୫ ତାରିଖ ପରଠାରୁ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଫଳରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇପାରେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨ ଦିନ ପାଇଁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପର ଦିନଠାରୁ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନ୍ୟପଟରେ ଜାନୁଆରି ୪ ତାରିଖ ଠାରୁ ଉତ୍ତର-ପଶ୍ଚିମ ଭାରତରେ ପ୍ରଭାବ ପକେଇବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଦେଶର ମଧ୍ୟ ଭାଗରେ ସକ୍ରିୟ ଗୁରୁଚାପ ବଳୟର ସ୍ଥିତି ପରିବର୍ତ୍ତନ ହେବ। ଏହି କାରଣରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉତ୍ତର/ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଦୁର୍ବଳ ହେବା ସହ ଏକ ପୂର୍ବାଳୀ ନିମ୍ନଚାପ ରେଖା ପ୍ରଭାବରେ ୬ ତାରିଖଠାରୁ ରାଜ୍ୟ ମଧ୍ୟକୁ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହର ପ୍ରାଧାନ୍ୟ ବୃଦ୍ଧି ପାଇପାରେ। ଏହା ପ୍ରଭାବରେ ୫ ତାରିଖ ପରଠାରୁ ରାତ୍ରି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି ।