ପୁରୁଣା ବର୍ଷରେ ଓଡିଶା ରାଜନୀତିରେ ଅନେକ ପରିବର୍ତ୍ତନ ହୋଇଛି । ବିଜେଡି ହାରିବା ବିଜେପି ସରକାର ଗଢିବା ସହ ମୋହନ ସରକାରଙ୍କ ଆଗରେ ଅନେକ ଚ୍ୟାଲେଞ୍ଜିଂ ପରିସ୍ଥିତି ଉପୁଜିଥିଲା । ତେବେ 2025 ବିଜେଡି ପୁଣି ଟ୍ରାକକୁ ଫେରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜେପି ଲୋକଙ୍କ ଭରସା ଜିତିବା ସହ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଚେଷ୍ଟା କରିବ । ୨୪ ବର୍ଷର ନବୀନ ସରକାରକୁ ହରାଇ କ୍ଷମତା ହାତେଇଲା ବିଜେପି । ହେଲେ ଏବେ ବିରୋଧୀ ବି ଦୁର୍ବଳ ନୁହଁନ୍ତି । ଏଭଳି ସ୍ଥିତିରେ ଏବର୍ଷ ତିନି ପ୍ରମୁଖ ଦଳ ପାଇଁ କଣ ରହିବ ଆହ୍ବାନ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗୁଡ ଗଭର୍ଣ୍ଣାସ ପାଇଁ ବିଜେପିର ଚିନ୍ତା ଥିବା ବେଳେ ସଂଗଠନକୁ ନେଇ କସରତ କରୁଛନ୍ତି ବିଜେଡି ଓ କଂଗ୍ରେସ । ଏଥର କେମିତି ରହିବ ଦଳ ତଥା ନେତାଙ୍କ ନୂଆବର୍ଷ ? ୨୦୨୫ରେ ନେତା ଓ ଦଳ ପାଇଁ କଣ ରହିବ ଆହ୍ବାନ ? ରାଜନୀତିର ଗୋଟି ଚାଳନା ଭିତରେ ନିଜ ବ୍ୟାଟେଲ ଫିଲ୍ଡକୁ ନେଇ ଅଙ୍କକଷା ଆରମ୍ଭ କରିଦେଇଛନ୍ତି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ। ଗତ ନିର୍ବାଚନରେ ବାଜିମାତ କରି କ୍ଷମତା ହାତେଇଥିବା ବିଜେପି ପାଇଁ ୨୦୨୫ ଏକ ନୂଆ ଚ୍ୟାଲେଞ୍ଜ ଆଣିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରି କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ନୂଆ ବର୍ଷକୁ ନେଇ ନୂଆ ପ୍ଲାନ କରିଛି । ବିଶେଷ କରି ସରକାର ଓ ଦଳ ଉଭୟଙ୍କୁ ଠିକ୍ ମାର୍ଗରେ ଆଗକୁ ନେବା ଦଳ ପାଇଁ ସବୁଠୁ ବଡ଼ ଆହ୍ବାନ । ଗୁଡ୍ ଗଭର୍ଣ୍ଣାସ, ନୂଆ ଓ ଲୋକାଭିମୁଖୀ ଯୋଜନାକୁ ସଠିକ କାର୍ଯ୍ୟକାରୀ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ, ରାଜ୍ୟବାସୀଙ୍କ ପାଖରେ ଭଲ ସରକାରର ବାର୍ତ୍ତା ଦେବା ବଡ଼ ଟାସ୍କ ରହିବ। ବିଶେଷ କରି ବିଜେପିର ତୃଣମୂଳସ୍ତରରେ ଥିବା ସଂଗଠନକୁ ମଜଭୁତ କରିବା ସହ ଆଗଧାଡ଼ିର ନେତା ଏକାଠି ରହି କାମ କରିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ। ନୂଆବର୍ଷରେ ନୂଆ ସଭାପତି ସାଙ୍ଗକୁ ନୂଆ ଟିମ୍ ଗଠନ ମଧ୍ୟ ଦଳ ପାଇଁ ଆଉ ଏକ ଟାସ୍କ ବୋଲି ଚର୍ଚ୍ଚା ହେଉଛି। ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନକୁ ସୁଦୃଢ଼ କରିବା ମଧ୍ୟ ରାଜ୍ୟ ବିଜେପି ପାଇଁ ବଡ଼ ଆହ୍ବାନ । ସେପଟେ ୨୪ ଭୋଟରେ ଶାସକରୁ ବିରୋଧୀ ଦଳ ସାଜିଥିବା ବିଜେଡି ପାଇଁ ୨୦୨୫ର ଚ୍ୟାଲେଞ୍ଜ କିଛି କମ ନୁହେଁ। ବିଶେଷ କରି ଦଳର ଟାଣୁଆ ନେତାଙ୍କୁ ନିଜ ଦଳରେ ବାନ୍ଧି ରଖିବା ତଥା ନେତା ଓ କର୍ମୀ ଯେମିତି ଅନ୍ୟ ଦଳକୁ ନ ଯିବେ ସେଥିପ୍ରତି ଧ୍ୟାନ ଦେବା ବଡ଼ ଚ୍ୟାଲେଞ୍ଜ। ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ଭି.କେ. ପାଣ୍ଡିଆନ ଓ ସାଂଗଠନିକ ସମ୍ପାଦକ ପଦରେ ଥିବା ପ୍ରଣବ ପ୍ରକାଶ ଦାସ ସକ୍ରିୟ ନଥିବା ହେତୁ ଉଭୟଙ୍କ ସ୍ଥାନରେ ଦଳ କାହାକୁ ଦାୟିତ୍ବ ଦେବ ତାହା ବି ଏକ ବଡ଼ ଚର୍ଚ୍ଚାର ବିଷୟ। ରାଜ୍ୟସଭାରୁ ୨ ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ଦଳ ଛାଡି଼ବା ବିଜେଡି ପାଇଁ ଥିବା ବଡ଼ ସେଟ୍ବ୍ୟାକ୍। ଏଭଳି ଘଟଣା ରୋକିବା ସାଙ୍ଗକୁ ତୃଣମୂଳସ୍ତରର ନେତା ଓ କର୍ମୀଙ୍କୁ ଏକାଠି କରି ଆଗକୁ ବଢ଼ିବା ବିଜେଡି ପାଇଁ ବଡ଼ ଆହ୍ବାନ। ସେହିପରି ରାଜ୍ୟ କଂଗ୍ରେସ ଏବେ ଏକ ପ୍ରକାର ଦିଶାହୀନ କହିଲେ ଭୁଲ ହେବନି । ଦୀର୍ଘ ମାସ ଧରି ରାଜ୍ୟ ପିସିସିର ମୁଖିଆ ଘୋଷଣା ନ ହେବା ଦଳର କର୍ମୀ ଓ ନେତାଙ୍କ ମନୋବଳ ଉପରେ ପ୍ରଭାବ ପକାଇଛି । ରାଜନୈତିକ ଦୃଷ୍ଟିକୋଣରୁ ନୂଆ ସଭାପତି ଘୋଷଣା ସାଙ୍ଗକୁ ନୂଆ ଟିମ୍ ଗଠନ ରାଜ୍ୟ କଂଗ୍ରେସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ । ଏପଟେ ରାଜନୈତିକ ସମୀକ୍ଷକ କହିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ପାଇଁ ବର୍ଷ ୨୦୨୫ ଏକ ପରୀକ୍ଷାର ସମୟ । ନିର୍ବାଚନ ପରେ ବି ଓଡ଼ିଶା ରାଜନୀତି ସରଗରମ ହୋଇ ରହିଛି। ବିଭିନ୍ନ ପ୍ରସଙ୍ଗରେ ଆରୋପ- ପ୍ରତ୍ୟାରୋପ ସାଙ୍ଗକୁ ପ୍ରତି ମାସରେ ଦଳ ଡିଆଁ କାର୍ଯ୍ୟକ୍ରମ ଜାରି ରହିଛି। ଏଭଳି ସ୍ଥିତିରେ ୩ ପ୍ରମୁଖ ଦଳ ନିଜ ନିଜ ସଂଗଠନ ସଜାଡ଼ିବା ସହ ତୃଣମୂଳସ୍ତରରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ।