୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନିର୍ବାଚନ ପରେ ପ୍ରଥମ ଥର ଦଳୀୟ କାର୍ଯ୍ୟାଳୟ ଯାଇ ଦଳର ବିଧାୟକ, ମନ୍ତ୍ରୀ, ଏମ୍ପି ଏବଂ ପଦାଧିକାରୀଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଛନ୍ତି। ମୋଦି ତାଙ୍କ ଗସ୍ତସୂଚୀ ଅନୁଯାୟୀ ରାଜଭବନରୁ ବାହାରି ୩ ମିନିଟ୍ ବିଳମ୍ବ ଅର୍ଥାତ୍ ୬ଟା ୩୦ ପରିବର୍ତ୍ତେ ୬ଟା ୩୩ ମିନିଟ୍ରେ ଦଳୀୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟନେତାମାନେ ସ୍ବାଗତ କରିଥିଲେ। ପୂର୍ବ ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଦଳୀୟ ନେତା, ମନ୍ତ୍ରୀ ଓ ପଦାଧିକାରୀଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ମୋଦି ୨ ଘଣ୍ଟା ବଦଳରେ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ସାଢ଼େ ୩ ଘଣ୍ଟା ରହିଥିଲେ। ମୋଦି ନିର୍ଦ୍ଦିଷ୍ଟ ଭାବେ କାହା ସହ କେତେ ସମୟ ଆଲୋଚନା କରିଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁଁ। ବୈଠକ ଶେଷ ହେବା ପରେ ଗଣମାଧ୍ୟମ ଆଗରେ ମଧ୍ୟ କେହି ହେଲେ କ’ଣ ବୈଠକ ହେଲା କେଉଁ ବିଷୟରେ ଆଲୋଚନା ହେଲା ସେନେଇ କିଛି ସ୍ପଷ୍ଟ ମତ ରଖିନାହାନ୍ତି। ଅନେକ ନେତା ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଏଡ଼ାଇଯାଇଥିଲେ। ଅନ୍ୟପକ୍ଷରେ ବୈଠକରେ ଯୋଗଦେବା ଲାଗି ଦଳୀୟ କାର୍ଯ୍ୟାଳୟଠାରେ ବିଧାୟକ, ଏମ୍ପି, ମନ୍ତ୍ରୀ ପ୍ରମୁଖ ପହଞ୍ଚିଥିଲେ। ହେଲେ ପୋଲିସ ସମସ୍ତଙ୍କ କାର୍ଡକୁ ତନ୍ନତନ୍ନ କରି ଦେଖିବା ପରେ ଭିତରକୁ ଛାଡ଼ିଥିଲେ। ୨ ଘଣ୍ଟା ପରିବର୍ତ୍ତେ ସାଢେ ୩ ଘଣ୍ଟା ରହିବାର କାରଣ କ’ଣ ସେନେଇ କିଛି ଜଣାପଡ଼ି ନାହିଁ । ପ୍ରଧାନମନ୍ତ୍ରୀ ଭିତରେ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦଳୀୟ କାର୍ଯ୍ୟାଳୟ ଗେଟ୍ ପାଖରେ ଠିଆହୋଇ ଅନେକ ସମୟ ଧରି କଥାବାର୍ତ୍ତା ହେଉଥିଲେ। ଏହାପରେ ୩ ଜଣ ନେତା ରାସ୍ତା ଆଡ଼କୁ ଆସି ପୁଣି ଥରେ କିଛି ସମୟ ଭିତରେ ଭିତରକୁ ଚାଲିଯାଇଥିଲେ। ପ୍ରଧାନମନ୍ତ୍ରୀ ବୈଠକ ଶେଷହେବା ପରେ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟକରି କହିଛନ୍ତି, ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ କଥାବାର୍ତ୍ତା ହେଲା। ଦଳକୁ ରାଜ୍ୟରେ କିପରି ସଙ୍ଗଠିତ କରିହେବ ଏବଂ ଲୋକମାନଙ୍କ ଜୀବନଶୈଳୀକୁ ଭଲ କରିବା ଲାଗି କ’ଣ କରିବା ଦରକାର ସେନେଇ ଆଲୋଚନା ହେଲା। ଏହାସହ ସେ ୪ଟି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ହେଲେ ମୋଦି ଏହି ଅବସରରେ କ’ଣ କଥା ହୋଇଛନ୍ତି ତାହା ଜଣାପଡ଼ି ନାହିଁ।