୨୪ ତାରିଖରେ ଆସିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ସାଧାରଣତଃ ବ୍ୟାଙ୍କ-ଆଧାର- ମୋବାଇଲ ଲିଙ୍କରେ ସମସ୍ୟା କାରଣରୁ ୫ ଲକ୍ଷ ଆବେଦନକାରୀଙ୍କ ଟଙ୍କା ଅଟକିଛି । ତେଣୁ କେମିତି ତ୍ରୁଟି ସୁଧାରିବେ ସେକଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେହିପରି ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନର ପୁନଃ ଯାଞ୍ଚ ଚାଲିଥିବା କହିଛନ୍ତି ପ୍ରଭାତୀ । ୨୪ ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ୫ ହଜାର ଟଙ୍କା ପଠାଇବେ ସରକାର। ଟଙ୍କା ପଠାଇବାକୁ ପ୍ରକ୍ରିୟା ଜାରି ରହିଥିବା ବେଳେ ଟଙ୍କା ପାଇନଥିବା ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ବ୍ୟାଙ୍କ ଆକାଉଣ୍ଟ ଜନିତ ତ୍ରୁଟି ପାଇଁ ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବାରେ ସମସ୍ୟା ହେଉଛି। ତ୍ରୁଟି ସୁଧାରିବାକୁ କଣ କରିବାକୁ ପଡ଼ିବ ସେନେଇ ମଧ୍ୟ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ ନଜର ପକାନ୍ତୁ କଣ ପାଇଁ ଅଟକିଛି ଆବେଦନ ଏବଂ ଆପଣ କରିବେ କଣ?କିଛି ଆବେଦନକାରୀଙ୍କ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ନାହିଁ। ସେହିପରି ଅନେକ ଆବେଦନକାରୀଙ୍କ ଆକାଉଣ୍ଟ-ଆଧାର ଓ ମୋବାଇଲ ମଧ୍ୟରେ ସମନ୍ୱୟ ନାହିଁ। ଏକାଧିକ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ ଥିବାରୁ ସମସ୍ୟା ହେଉଛି । ତେଣୁ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ୍ ପାଇଁ ପରାମର୍ଶ ଦିଆଯାଇଛି। ଅନେକ ଆକାଉଣ୍ଟରେ eKyc ସମସ୍ୟା ସହ ଆଧାର ମଧ୍ୟ ଅଚଳ ରହିଛି। ସେହିପରି ବ୍ୟାଙ୍କରେ NPCI କ୍ଲିଅର ଅଛି ନା ନାହିଁ ବୁଝିବାକୁ କୁହାଯାଇଛି। ବ୍ୟାଙ୍କ ଖାତାରେ ଏଭଳି କିଛି ତ୍ରୁଟି ପ୍ରାୟ ୫ ଲକ୍ଷ ଆବେଦନକାରୀ ପ୍ରଥମ କିସ୍ତି ପାଇବାରୁ ବଞ୍ଚିତ ଅଛନ୍ତି। ତେଣୁ ତୁରନ୍ତ ଏଭଳି ସମସ୍ତ ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟର ଟଙ୍କା ପାଇଥିଲେ ୩୫ ଲକ୍ଷ ମହିଳା। ଏବଂ ୨୪ ତାରିଖରେ ତୃତୀୟ ପର୍ଯ୍ୟାୟରେ ବାକି ସମସ୍ତଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯୋଜନା ହୋଉଛି। କିନ୍ତୁ ବ୍ୟାଙ୍କ-ଆଧାର-ମୋବାଇଲ ଲିଙ୍କ ଭଳି କିଛି ତ୍ରୁଟି ସାମ୍ନାକୁ ଆସିବା ପରେ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ସରକାର। ପୂର୍ବରୁ ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନର ବି ଚାଲିଛି ପୁନଃ ଯାଞ୍ଚ। କେଉଁମାନେ ଟଙ୍କା ପାଇଛନ୍ତି, କେଉଁ ମାନଙ୍କର ଖାରଜ ହୋଇଛି, ଯେଉଁମାନେ ପାଇ ନାହାନ୍ତି ତାହାର ସ୍ଥିତି କଣ ତାହାର ସମ୍ପୂର୍ଣ ତାଲିକା subhadra.odisha.gov.inରେ ଉପଲବ୍ଧ ରହିଛି। ଟଙ୍କା ପାଇନଥିବା ଆବେଦନକାରୀ ତ୍ରୁଟି ସୁଧାରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ ୨୪ ତାରିଖ ପରେ ଅଙ୍ଗନୱାଡି କର୍ମୀ ବି ଫିଜିକାଲ ଭେରିଫିକେଶନ କରିବେ ବୋଲି କୁହାଯାଇଛି।