ପାରମ୍ପରିକ ଆସନ ନୂଆ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ସେହିପରି କାଳକାଜିରୁ ଲଢିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଆପ୍ ଜାରି କରିଥିବା ଚତୁର୍ଥ ପ୍ରାର୍ଥୀ ତାଲିକାରୁ ମିଳିଲା ସୂଚନା । ଆସନ୍ତା ବର୍ଷ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ଏହି ପ୍ରକ୍ରିୟାରେ ସମସ୍ତ ଦଳ ଲାଗି ପଡିଥିବା ବେଳେ, କିଏ କେଉଁ ସିଟରୁ ନିର୍ବାଚନ ଲଢ଼ିବେ ସେ ନେଇ ଚାଲିଛି କଳ୍ପନା ଜଳ୍ପନା। ଏହାରି ଭିତରେ ଆପ ବିଧାନସଭା ନିର୍ବାଚନ ପାଇଁ ତା’ର ଚତୁର୍ଥ ତଥା ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୩୮ ଜଣଙ୍କ ନାମ ଘୋଷଣା କରାଯାଇଛି। ତାଲିକା ଅନୁସାରେ, ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ସିଟରୁ ନିର୍ବାଚନ ଲଢ଼ିବେ। ସେହିପରି ମୁଖ୍ୟମନ୍ତ୍ରୀ ଆତିଶୀ ପୁଣି ଥରେ କାଳକାଜୀରୁ ନିର୍ବାଚନ ଲଢ଼ିବେ। ସେହିଭଳି ସୌରଭ ଭରଦ୍ୱାଜ ଗ୍ରେଟର କୈଳାଶରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ହେବେ। ବର୍ତ୍ତମାନ ଏହି ଆସନରୁ ସେ ବିଧାୟକ ଅଛନ୍ତି। ଏହାରି ଭିତରେ ପାର୍ଟିର ବର୍ତ୍ତମାନର ବିଧାୟକ ମଦନ ଲାଲଙ୍କ ଟିକେଟ୍ କାଟିଛି। ତାଙ୍କ ବଦଳରେ କସ୍ତୁରବା ନାଗର ସିଟରୁ ରମେଶ ପେହଲୱାନ ମୈଦାନକୁ ଓହ୍ଲାଇଛନ୍ତି। ରମେଶ ପେହଲୱାନ ଏବଂ ତାଙ୍କ କାଉନସିଲର ପତ୍ନୀ କୁସୁମ ଲତା ଆଜି ହିଁ ବିଜେପି ଛାଡି ଆପ୍ରେ ଯୋଗ ଦେଇଥିଲେ। ସେହିପରି ବାବରପୁରରୁ ମନ୍ତ୍ରୀ ଗୋପାଳ ରାୟ ଓ ତିଲକ ନଗର ଆସନରୁ ଜରନୈଲ ସିଂହ ନିର୍ବାଚନ ଲଢ଼ିବେ। ଏହାବ୍ୟତୀତ ସତ୍ୟେନ୍ଦ୍ର କୁମାର ଜୈନ ଶକୁର ବସ୍ତିରୁ, ଓଖଲାରୁ ଅମାନତୁଲ୍ଲା ଖାନ୍, ମୁକେଶ କୁମାର ଅହଲାବାତ ସୁଲତାନପୁର ମାଜରାରୁ, ରଘୁବିନ୍ଦର ସୌକିନ ନାଙ୍ଗଲୋଇ ଜାଟରୁ, ସୋମ ଦତ୍ତ ସଦର ବାଜାରରୁ ଓ ଇମ୍ରାନ ହୁସେନ ବଲ୍ଲିମାରାନରୁ ନିର୍ବାଚନ ଲଢ଼ିବେ।