୨୮ ତାରିଖରେ ଶପଥ ନେବ ଝାଡ଼ଖଣ୍ଡର ନୂଆ ସରକାର । ଜେଏମଏମ ନେତା ହେମନ୍ତ ସୋରେନଙ୍କ ନେତୃତ୍ବରେ ହେବ ସରକାର । ଚତୁର୍ଥ ଥର ପାଇଁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯେଉଁଥିରେ ଇଣ୍ଡିଆ ମେଣ୍ଟର ବହୁ ତୁଙ୍ଗ ନେତା ସାମିଲ ହେବେ । କଂଗ୍ରେସ ନେତା ରାହୁଲ ଗାନ୍ଧି, ତୃଣମୂଳ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ସିଂହ ଯାଦବ, ଆରଜେଡି ନେତା ତେଜପ୍ରତାପ ଯାଦବ ପ୍ରମୁଖ ହେମନ୍ତଙ୍କ ଶପଥ ସମାରୋହରେ ସାମିଲ ହେବେ । ହେମନ୍ତ ସୋରେନଙ୍କ ସହ ତାଙ୍କ କ୍ୟାବିନେଟର କିଛି ମନ୍ତ୍ରୀ ମଧ୍ୟ ନେବେ ଶପଥ । ରାଞ୍ଚିର ମୋରାବାଡ଼ି ଗ୍ରାଉଣ୍ଡରେ ହେବ ଶପଥ ସମାରୋହ । ଜେଏମଏମରୁ ୬, କଂଗ୍ରେସରୁ ୪ ଓ ଆରଜେଡିରୁ ଜଣେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଏଥର ନିର୍ବାଚନରେ ହେମନ୍ତ ସୋରେନଙ୍କ ମନ୍ତ୍ରିମଣ୍ଡଳରେ ଥିବା ୪ ଜଣ ମନ୍ତ୍ରୀ ହାରି ଯାଇଛନ୍ତି । ତେଣୁ କିଛି ନବାଗତଙ୍କୁ କ୍ୟାବିନେଟରେ ସୁଯୋଗ ମିଳିପାରେ । ଝାଡ଼ଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ସରକାରକୁ ଲଗାତାର ଦ୍ବିତୀୟ ଥର କ୍ଷମତା ରିପିଟ୍ କରିବାକୁ ସୁଯୋଗ ମିଳିଛି । ୮୧ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ୫୬ଟି ଆସନ ମିଳିଛି । ଜେଏମଏମ ୩୪, କଂଗ୍ରେସ ୧୬, ଆରଜେଡି ୪, ସିପିଆଇ-ଏମଏଲ ୨ ଆସନରେ ବିଜୟୀ ହୋଇଛନ୍ତି । ବିଜେପିକୁ ୨୧ଟି ଆସନ ମିଳିଛି ।