Friday, January 31, 2025
spot_imgspot_imgspot_imgspot_img
Homeସ୍ପେଶାଲ୍ ରିପୋର୍ଟଜାଣନ୍ତୁ ବାଇଶି ପାହାଚର ରହସ୍ୟ !

ଜାଣନ୍ତୁ ବାଇଶି ପାହାଚର ରହସ୍ୟ !

ଜାଣନ୍ତୁ ବାଇଶି ପାହାଚର ରହସ୍ୟ !

ଶ୍ରୀମନ୍ଦିର ପ୍ରବେଶ ଦ୍ଵାରରୁ ଅର୍ଥାତ୍ ବାହାର ସିଂହ ଦ୍ଵାରରୁ ଭିତର ସିଂହ ଦ୍ଵାର ପର୍ଯ୍ୟନ୍ତ ଥିବା ପାହଚକୁ ବାଇଶି ପାହାଚ କୁହାଯାଏ । କାହିଁକି ପୁରୀରେ ଶ୍ରୀମନ୍ଦିରେର ରହିଛି 22 ପାହାଚ । କାହିଁକି ଅଧିକ କିମ୍ବା କମ୍ ହେଲାନି ପାହାଚ । କଣ ରହିଛି ପୁରାଣ କଥା । ବଉଳମାଳା ପାହାଡର ମାଙ୍କଡା ପଥରରେ ନିର୍ମିତ ଏହି ପାହାଚର ଅନେକ କିମ୍ବଦନ୍ତୀ ପ୍ରଚଳିତ । ଅନେକ ବୁଦ୍ଧିଜୀବୀଙ୍କ ମତରେ ବାଇଶି ପାହାଚରେ ନିଜ ସନ୍ତାନମାନଙ୍କୁ ଗଢାଇଲେ ପାହାଚରେ ଥିବା ପବିତ୍ର ଧୂଳି ଦେହରେ ବାଜିଲେ ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଥାଏ । ତେବେ ଏହା ମଧ୍ଯ କିମ୍ବଦନ୍ତୀ ରହିଚି କି ରାଜା ଭାନୁଦେବ ଜମ୍ବେଶ୍ଵରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଜମ୍ବେଶ୍ଵର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତେ ଏହି ବାଇଶି ପାହାଚ ଦେଇ ଯାଇଥାନ୍ତି । ମହାପ୍ରଭୁ ମଧ୍ୟ ଏଇ ପାହାଚ ଅତିକ୍ରମ କରି ଭକ୍ତମାନଙ୍କୁ ରଥ ଉପରେ ଦର୍ଶନ ଦେବାପାଇଁ ଆସିଥାନ୍ତି । ତେଣୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଗସୂତ୍ର ସାଜିଛି ଏହି ବାଇଶି ପାହାଚ । ପତିତପାବନ ଅତିକ୍ରମ କଲା ପରେ ବାଇଶି ପାହାଚରେ ଏକ କଳା ପଥର ଅଛି ଯାହାକୁ ଯମଶିଳା କହନ୍ତି । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ଵାସ ରହିଛି । ଅନ୍ୟପଟେ ଏହି ଶିଳାକୁ କୁଦିକରି ଗଲେ ସମସ୍ତ ପାପ ସେହି ଶିଳାରେ ରହିଯାଏ ଫଳରେ ନିର୍ମଳ ଓ ନିଷ୍ପାପ ଜଗା ଦର୍ଶନ ହୋଇଥାଏ । ଫେରିଲା ବେଳେ ସେହି ଶିଳାକୁ ନ ଛୁଇଁ ଆସିଗଲେ ପାପ ସବୁ ସେହି ଶିଳାରେ ରହିଯାଇଥାଏ ବୋଲି ଅନେକଙ୍କ ବିଶ୍ଵାସ ଅଛି । ଶ୍ରୀମନ୍ଦିର ବାଇଶି ପାହାଚ ପ୍ରକୃତରେ ୨୦ଟି ପାହାଚ ବିଶିଷ୍ଟ । ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି । ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ, ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି । ଯାହା ଅର୍ଦ୍ଧଗୋଲାକାର । ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ଵନାଥ ମନ୍ଦିର ରହିଛି । କେତେକଙ୍କ ମତରେ ଦଶ ଅବତାର ଗୁଡ଼ିକର ଗୋଡ଼ ସଂଖ୍ୟା ମିଶି ବାଇଶି ହୋଇଥିବାରୁ ସେହି ଅନୁସାରେ ବାଇଶି ପାହାଚ ହୋଇଛି । ପରଂବ୍ରହ୍ନ ହିରଣ୍ୟ ଗର୍ଭରେ ପଦ୍ମାସନରେ ଥାଆନ୍ତି । ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ ଦେଇ ଯିବାକୁ ହୁଏ । ଅଷ୍ଟ ବୈକୁଣ୍ଠ ଯଥା- ଶ୍ରୀବୈକୁଣ୍ଠ, କୈବଲ୍ୟ ବୈକୁଣ୍ଠ, କାରଣାର୍ଣ୍ଣବ ବୈକୁଣ୍ଠ, ଶେଷଶାୟୀ ବୈକୁଣ୍ଠ, ଶ୍ଵେତଦୀପ ବୈକୁଣ୍ଠ, ପରବେଶ୍ୟାମ ବୈକୁଣ୍ଠ, ଗଭୌଦକ ଶାୟୀ ବୈକୁଣ୍ଠ ଓ କୈଳାସ ବୈକୁଣ୍ଠ । ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ ଚଉଦ ଭୁବନ ବିଦ୍ୟମାନ । ଚଉଦ ଭୁବନ ମଧରେ ସପ୍ତ ଭୁବନ ମର୍ତ୍ତ୍ୟରେ ଓ ସପ୍ତଭୁବନ ପାତାଳରେ ଭୁମ୍ଫା, ଭୁବ, ସ୍ଵା, ମହ, ଜନ, ତପ ଓ ସତ୍ୟ ଏବଂ ସପ୍ତ ପାତାଳ ହେଉଛି ଅତଳ, ସ୍ଵତଳ, ବିତଳ, ତଳାତଳ, ମହୀତଳ, ରସାତଳ ଓ ପାତାଳ । ତେଣୁ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ (ସପ୍ତ ମର୍ତ୍ତ୍ୟ ଓ ସପ୍ତ ପାତାଳ) ମିଶି ବାଇଶି ଯାହାକି ବାଇଶି ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments