ବିଜେଡି ସରକାରଙ୍କ ଯୋଜନା ଯେ ଜନମଙ୍ଗଳକାରୀ ଥିଲା ତାହାକୁ ବାରମ୍ବାର କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି । ତଥାପି ମଧ୍ୟ ରାଜ୍ୟରେ ସମାନ ପ୍ରକାରର ନୂଆ ଯୋଜନା ପ୍ରଣୟନ କରିବା ନେଇ ରାଜନୀତି ତେଜିଛି । ଫେବୃଆରୀରୁ ଓଡ଼ିଶାରେ ଆୟୁଷ୍ମାନ।ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ସହ ରାଜ୍ୟ ସରକାରଙ୍କ MOU ପରେ ଯୋଜନା ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର। ସେପଟେ ଆୟୁଷ୍ମାନ ଭଲ ନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ତାକୁ ନେଇ ଜାରି ରହିଛି ରାଜନୀତି । ଏପରିକି BSKYରେ ହୋଇଥିବା ଦୁର୍ନୀତିର ତଦନ୍ତ ହେବ କହିଛନ୍ତି ଆଇନ ମନ୍ତ୍ରୀ । ଆଉ ଜବାବ ଦେଇ ବିଜେଡି କହିଛି ତଦନ୍ତ କରିବାକୁ ସରକାରକୁ କିଏ ମନା କରୁଛି କି ? ରାଜ୍ୟରେ ବଢିବ ସ୍ବାସ୍ଥ୍ୟସେବାର ପରିସର। ଫେବୃଆରୀ ମାସରୁ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ମିଶି ପ୍ରତି ପରିବାରକୁ ମିଳିବ ଗୋଟିଏ କାର୍ଡ। ଆଉ ଆୟୁଷ୍ମାନ ଲାଗୁ ହେଲେ ବନ୍ଦ ହେବ BSKY ଅର୍ଥାତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ତେବେ ପୁରୁଣା ଯୋଜନା ଭଲ ନା ନୂଆ ଯୋଜନା ଭଲ ତାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ବାକଯୁଦ୍ଧ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଆୟୁଷ୍ମାନ ଯୋଜନାରେ ଚିକିତ୍ସା ପରିସର ବଢିବ। କିନ୍ତୁ BSKYରେ ଲୋକ ସଠିକ ଚିକିତ୍ସାରୁ ବଞ୍ଚିତ ହେଉଥିଲେ। ଏବଂ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଆଇନ ମନ୍ତ୍ରୀ। ଏବଂ ଆଗମୀ ଦିନରେ ଦୁର୍ନୀତିର ତଦନ୍ତ ହେବ ବୋଲି ମନ୍ତ୍ରୀ ଶୁଣାଇ ଦେଇଛନ୍ତି। ସେପଟେ ମନ୍ତ୍ରୀଙ୍କ ଅଭିଯୋଗର ଜବାବ ରଖି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି BSKYରେ ଚିକିତ୍ସା ପାଇଁ ଲୋକଙ୍କୁ ଟଙ୍କାଟିଏ ଦେବାକୁ ପଡୁନଥିଲା। ହସ୍ପିଟାଲରେ କାର୍ଡ ଦେଖାଇବା ମାତ୍ରେ ଲୋକଙ୍କୁ ମାଗଣା ଚିକିତ୍ସା ମିଳୁଥିଲା। ନୂଆ ଯୋଜନାରେ କାର୍ଡ ଦେଖାଇଲେ ମାଗଣା ସୁବିଧା ମିଳିବ ନା ନାହିଁ ସରକାର ସ୍ପଷ୍ଟ କରିବା ଆବଶ୍ୟକ। ଯଦି BSKYରେ କିଛି ଦୁର୍ନୀତି ହୋଇଛି ତଦନ୍ତ କରିବାକୁ କିଏ ମନା କରୁଛି ବୋଲି ପ୍ରଶ୍ନ କରିଛି ଲେନିନ । ଓଡ଼ିଶାରେ ଆୟୁଷ୍ମାନ ଲାଗୁ ନେଇ ସୋମବାର ଦିଲ୍ଲୀରେ MOU ପରେ ଓଡ଼ିଶା ଫେରିବା ପରେ ବିମାନ ବନ୍ଦରରେ ମୋହନ ମାଝୀଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଲାଗୁକରି ସମସ୍ତ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବେ ସରକାର। ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ। କେନ୍ଦ୍ରୀୟ ଯୋଜନା ଆୟୁଷ୍ମାନ ଭାରତରେ ସାମିଲ ହେବେ ପ୍ରାୟ ୬୮ ଲକ୍ଷ ପରିବାର। ଗୋଟିଏ କାର୍ଡରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଟଙ୍କାର ଚିକିତ୍ସା ସୁବିଧା ମିଳିବ। ଏହି ନୂଆ କାର୍ଡରେ ବି ସମ୍ପୂର୍ଣ୍ଣ କ୍ୟାସଲେସ ଚିକିତ୍ସା ସୁବିଧା ରହିବ ବୋଲି କୁହାଯାଇଛି।
ଆୟୁଷ୍ମାନ ବନାମ ବିଏସକେଓ୍ବାଇ !
ଆୟୁଷ୍ମାନ ବନାମ ବିଏସକେଓ୍ବାଇ !