୯ ମାସର ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ବିଧାନନସଭା ସମ୍ମୁଖରେ ଗର୍ଜିଛନ୍ତି ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ କର୍ମୀ ମହାସଂଘ । ହଜାରହଜାର ସଂଖ୍ୟାରେ ମିସନ ଶକ୍ତି ବିଭାଗ ସହ ଜଡ଼ିତ ମହିଳାମାନେ ମାଷ୍ଟରକ୍ୟାଣ୍ଟିନ ନିକଟରେ ଏକାଠି ହୋଇ ବିଧାନସଭା ଆଡ଼କୁ ଯାଇଥିଲେ ପରେ ମହିଳାମାନେ ରାସ୍ତାରେ ବସି ପ୍ରତିବାଦ ସଭା କରିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ ୯ ମାସ ଧରି କମ୍ୟୁନିଟି ସର୍ପୋଟ୍ ଷ୍ଟାଫ୍ମାନେ ପାରିଶ୍ରମିକ ପାଉନାହାନ୍ତି। ତେଣୁ ସେମାନେ ଘୋର ଆର୍ଥିକ ସଂକଟରେ ଗତି କରୁଛନ୍ତି। ଜିପିଏଲ୍ଏଫ୍ କମ୍ୟୁନିଟି କ୍ୟାଡର୍ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ସ୍ଥାୟୀ ନିଯୁକ୍ତି ପ୍ରଦାନ, ୫ ବର୍ଷିଆ ପଲିସିରେ ଥିବା ୭୫ % ଓ ୫୦%କୁ ଉଚ୍ଛେଦ କରି ୧୦୦ % ପାରିଶ୍ରମିକ ପ୍ରଦାନ, କମ୍ୟୁନିଟି ଷ୍ଟାଫ୍ଙ୍କର ବକେୟା ଥିବା ପାରିଶ୍ରମିକ ରାଶି ପ୍ରଦାନ କରାଯାଉ। ମିସନ ଶକ୍ତି ଦ୍ବାରା ପ୍ରଦାନ କରାଯାଇଥିବା ପରିଚୟପତ୍ର ୧୫ ଦିନ ମଧ୍ୟରେ ଦିଆଯିବା ସହ ୬ ବର୍ଷ ଧରି କାର୍ଯ୍ୟ କରିଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କୁ ଯୋଗ୍ୟତା ଅନୁସାରେ ପଦୋନ୍ନତି ପ୍ରଦାନ କରାଯାଉ ବୋଲି ସଂଘ ଦାବି କରିଛି। ସେହିଭଳି ମୃତ୍ୟୁକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା, ଇପିଏଫ୍ଓ ଏବଂ ଇଏସ୍ଆଇ ପ୍ରଦାନ ମିଳୁ ବୋଲି ସଂଘ ଦାବି ରଖିଛି। ଜିପିଏଲ୍ଏଫ୍କୁ ଗୋଷ୍ଠୀଙ୍କ ବିନିଯୋଗ ପାଣ୍ଠି ୧ କୋଟି ଟଙ୍କା କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି। ବିକ୍ଷୋଭସ୍ଥଳରେ ବିଜେଡି ବିଧାୟକ ଓ ନେତାମାନେ ପହଞ୍ଚି ସେମାନଙ୍କ ନୈତିକ ସମର୍ଥନ ଜଣାଇଥିଲେ। ବିଧାୟକ ପ୍ରମିଳା ମଲ୍ଲିକ, ଅରୁଣ କୁମାର ସାହୁ, ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ, ପ୍ରଦୀପ ସାହୁ, ବର୍ଷା ସିଂହ ବରିହା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରମୁଖ ପହଞ୍ଚି ସରକାର ତୁରନ୍ତ ସେମାନଙ୍କ ଦାବିକୁ ମାନି ନେବାକୁ କହିଥିଲେ। ମହାସଂଘର ଅଧ୍ୟକ୍ଷ ତଥା କଟକ ମେୟର ସୁବାସ ସିଂହ, ସଭାପତି ନିରୂପମା ନାୟକ ଓ ସମ୍ପାଦିକା ସବିତା ମାନସିଂହ ଉପସ୍ଥିତ ଥିଲେ।